ଯାଜପୁର,୫/୯(ଯାଜପୁର ଟୁଡେ) : ଦିବ୍ୟାଙ୍ଗ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବାକୁ ସୁଗମ ଓ ସମାନ କରିବାରେ ଅବହେଳା ଅଭିଯୋଗକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ରାଜ୍ୟ ମୁଖ୍ୟ ଆୟୁକ୍ତ, ଦିବ୍ୟାଙ୍ଗଜନଙ୍କ ଜରୁରୀ ହସ୍ତକ୍ଷେପ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଶାଖାରେ ଦିବ୍ୟାଙ୍ଗଙ୍କ ପାଇଁ ସୁଗମତା ନଥିବା ଅଭିଯୋଗ ଉପରେ ଆୟୋଗ ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।ଦିବ୍ୟାଙ୍ଗ ଅଧିକାର କର୍ମୀ ତଥା ସୁଗମ ଓଡିଶା ଅଭିଯାନର ରାଜ୍ୟ ମୁଖ୍ୟ ଶ୍ରୀ ମଣ୍ଟୁ ଦାସ ବିଭିନ୍ନ ବ୍ୟାଙ୍କରେ ଦିବ୍ୟାଙ୍ଗ ଗ୍ରାହକଙ୍କ ସମ୍ମୁଖୀନ ହେଉଥିବା ଆକ୍ସେସିବିଲିଟି ସମସ୍ୟା ନେଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଅନେକ ବ୍ୟାଙ୍କ ଶାଖାରେ ହ୍ୱିଲଚେୟାର ବ୍ୟବହାରକାରୀଙ୍କ ପାଇଁ ଉପଯୁକ୍ତ ରାମ୍ପ ଓ ହ୍ୟାଣ୍ଡରେଲ୍, ଦୃଷ୍ଟିବାଧିତଙ୍କ ପାଇଁ ଟ୍ୟାକ୍ଟାଇଲ୍ ସୁବିଧା, ସୁଗମ ପ୍ରବେଶପଥ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ନାହିଁ କିମ୍ବା ମାନକ ଅନୁଯାୟୀ ନୁହେଁ।ଅଭିଯୋଗରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରତ୍ନଗିରି ଓ ଜାରକା ଶାଖା, ବ୍ୟାଙ୍କ ଅଫ୍ ବରୋଦା ଓ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ବ୍ରହ୍ମବରଦା ଶାଖା, ବନ୍ଧନ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ଇଣ୍ଡିଆନ୍ ବ୍ୟାଙ୍କର ଯାଜପୁର ସହର ଶାଖା, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ହରିପୁର ଶାଖା ସମେତ ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ମଧ୍ୟ ସୁଗମତା ସମ୍ପର୍କିତ ଅଭାବ ଥିବା ଅଭିଯୋଗ ହୋଇଛି।ଶ୍ରୀ ଦାସଙ୍କ ଅଭିଯୋଗରେ ଏହାକୁ ଦିବ୍ୟାଙ୍ଗ ଅଧିକାର ଆଇନ ଏବଂ ଦିବ୍ୟାଙ୍ଗ ଗ୍ରାହକଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି ସୁଗମତା ଓ ବ୍ୟାଙ୍କିଂ ସେବା ସମ୍ପର୍କିତ ନିର୍ଦ୍ଦେଶାବଳୀର ଉଦ୍ଦେଶ୍ୟ ସହ ବିରୋଧାଭାସୀ ବୋଲି ଦର୍ଶାଯାଇଛି।ଏହି ଗୁରୁତର ଅଭିଯୋଗକୁ ଗୁରୁତ୍ୱ ଦେଇ ଆୟୋଗ ଯାଜପୁର ଜିଲ୍ଲାପାଳଙ୍କୁ ଜିଲ୍ଲା ପ୍ରଶାସନ, ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକର ମୁଖ୍ୟ ପ୍ରବନ୍ଧକ ଏବଂ ସ୍ଥାନୀୟ ଶାଖା ପ୍ରବନ୍ଧକମାନଙ୍କ ସହ ଜରୁରୀ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବ୍ୟାଙ୍କଗୁଡ଼ିକରେ ସୂଗମତା ସୁନିଶ୍ଚିତ କରିବା, ଅବ୍ୟବସ୍ଥା ଚିହ୍ନଟ କରିବା ଏବଂ ଆବଶ୍ୟକ ଭିତ୍ତିଭୂମିର ଶୀଘ୍ର ସୁଧାର ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବ। ମଣ୍ଟୁ ଦାସ କହିଛନ୍ତି, ବ୍ୟାଙ୍କି ସେବା ଦିବ୍ୟାଙ୍ଗଙ୍କ ପାଇଁ ଦୟା ନୁହେଁ, ଏହା ତାଙ୍କର ଅଧିକାର। ବ୍ୟାଙ୍କ ଭଳି ଅତ୍ୟାବଶ୍ୟକ ସାର୍ବଜନୀନ ସେବାସ୍ଥଳ ଯଦି ଦିବ୍ୟାଙ୍ଗଙ୍କ ପାଇଁ ଅସୁଗମ ରହେ, ତେବେ ସମାବେଶୀ ସମାଜର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ।ଆୟୋଗଙ୍କ ଏହି ନିର୍ଦ୍ଦେଶ ପରେ ଯାଜପୁର ଜିଲ୍ଲାର ସମସ୍ତ ବ୍ୟାଙ୍କ ଶାଖାରେ ସୁଗମତା ବ୍ୟବସ୍ଥାର ସମୀକ୍ଷା ଓ ଆବଶ୍ୟକ ସୁଧାର ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି । ତାହା ଉପରେ ଏବେ ଦିବ୍ୟାଙ୍ଗ ଅଧିକାର କର୍ମୀ ଓ ଅଧିକାର ସଚେତନ ମହଲର ନଜର ରହିଛି।



