ଯାଜପୁର,୨୪ା୧୦(ଯାଜପୁର ଟୁଡେ) : ଯାଜପୁର ଜିଲାରେ ଦିନକୁ ଦିନ କାଠ ମାଫିଆଙ୍କ ଦୌରାତ୍ମା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଯାଜପୁର ରୋଡ ବନବିଭାଗ ଅଧିନରେ ଥିବା ସରକାର ଜମିରେ ଗଛ ଲଗାଇବାକୁ ସଚେତନ କରାଉଥିବା ବେଳେ ରାଜନୈତିକ ଦଳ ପକ୍ଷରୁ ଏହି ଅଂଚଳମାନଙ୍କରେ ଗଛ ଲଗାଉଛନ୍ତି । ସେପଟେ ମାଫିଆମାନେ ବେଧଡକଭାବେ ବିଭିନ୍ନ ସ୍ଥାନରୁ ଗଛ କାଟି ଶଗଡି ରାସ୍ତା ଦେଇ ଟାଟା ଏସି ଓ ପିକ୍ ଅଫ୍ରେ ପାଲ ଘୋଡାଇ ବିଳମ୍ବିତ ରାତି ଓ ଭୋର ସମୟରେ ଯାଜପୁର ରୋଡସ୍ଥିତ ଛୋଟରାୟପୁର ଅଧିନରେ ଥିବା ବିଭିନ୍ନ କରତକଳକୁ ନେଇ ସେଠାରେ କାଠ ରଖି ଖାଲି ଗାଡି ଧରି ଫେରି ଆସନ୍ତି । ପରେ ସୁବିଧା ସୁଯୋଗ ଦେଖି ଉକ୍ତ କାଠ ଚିରି ପୁଣି ପରବର୍ତି ସମୟରେ ସେହି ଗାଡିରେ ଚିରା କାଠ ନେଇ ଆସୁଛନ୍ତି । ପରିବହନ ସମୟରେ ଗାଡିରେ ପାଲ ଘୋଡାଇବା ବେଆଇନ । କାଠ ଚିରା ପରେ ମାଫିଆମାନେ ବିଭିନ୍ନ ସ୍ଥାନରେ ପଟା ମହଜୁଦ ରଖି ଜନସାଧାରଣଙ୍କୁ ଚଢା ଦରରେ ବିକ୍ରୀ କରୁଛନ୍ତି । କରତକଳ ମାଲିକମାନେ କିପରି ବେଆଇନଭାବେ ଶାଗୁଆନ,ପଣସ,ନିମ୍ବ,ଗମ୍ଭାରୀ ଓ ଆମ୍ବ କାଠ ଚିରୁଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାଠମାଫିଆ ଓ ସ୍ଥାନୀୟ ଫରେଷ୍ଟରଙ୍କ ମିଲିଭଗତରେ ଏଭଳି ବେଆଇନ କାର୍ଯ୍ୟ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଯଦି ସାଧାରଣ ଲୋକଟିଏ ନିଜସ୍ୱ କାଠ ନେଇ କରତକଳକୁ କାଠ ଚିରିବାକୁ ଗଲେ କରତକଳ ମାଲିକ ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ କାଠ ଫେରାଇ ଦେଉଛନ୍ତି । ଯାହାକି ସେମାନେ ନିଜସ୍ୱ କାଠ ଚିରିବାରୁ ବଂଚିତ ହେଉଛନ୍ତି । ବେଆଇନ ଗଛ କଟା ଓ କରତକଳରେ ବେଆଇନଭାବେ କାଠ ଚିରା ଉପରେ ଜିଲା ପ୍ରଶାସନ ଓ ବନବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳର ଲୋକେ ଦାବି କରିଛନ୍ତି । ପ୍ରଶାସନ ଏଦିଗରେ ବିଳମ୍ବ କଲେ ନିକଟ ଭବିଷ୍ୟତରେ ସ୍ଥାନୀୟ ଅଂଚଳରେ ଥିବା ନାମୀଦାମୀ ବଡ ବଡ ଗଛ ଉଭାନ ହୋଇ ଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।





