ଯାଜପୁର,୩୦।୯(ଯାଜପୁର ଟୁଡେ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରେଇକଣା ପଂଚାୟତ ରମାପୁର ଗ୍ରାମର ମୁକେଶ ଚନ୍ଦ୍ର ରାୟଙ୍କ ୧୬ ମାସର ଶିଶୁ କନ୍ୟା ତ୍ରିଶିକା ସ୍ନାୟୁଜନିତ ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଟାଇପ-୨ ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି। ଯାହାକି ପରିବାରଙ୍କ ପାଇଁ ସାତସପନ ପାଲଟିଛି। ଏହି ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜ ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ରୋଗର ଚିକିତ୍ସା ନିମନ୍ତେ ୧୬ କୋଟି ଟଙ୍କାର ଆବଶ୍ୟକ ଥିବା ବେଳେ ଅଭାବି ପରିବାର ପକ୍ଷେ ଏତେ ଗୁଡିଏ ଟଙ୍କା ଯୋଗାଡ କରିବା ସମ୍ଭବପର ହେଉ ନାହିଁ । ଏସମ୍ପର୍କରେ ଖବର ପାଇ ବିଧାୟକ ଶ୍ରୀ ସାହୁ ଦୁଃଖ ପ୍ରକାଶ କରିବା ସହ ତ୍ରାଶିକାର ଚିକିତ୍ସା ନିମନ୍ତେ ନିଜ ଦରମାରୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏଥିସହ ତ୍ରିଶିକାର ଚିକିତ୍ସା ନିମନ୍ତେ ଯାଜପୁର ଏବଂ ଓଡିଶାବାସୀ ସହାୟତାର ହାତ ବଡାଇବା ଲାଗି ବିଧାୟକ ଶ୍ରୀ ସାହୁ ଅନୁରୋଧ କରିବା ସହ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସିହିତ ଆଲୋଚନା କରି କୁନିଝିଅଟିର କିଭଳି ଚିକିତ୍ସା କରାଯାଇ ପାରିବ ସେ ନେଇ ତତ୍ପରତା ପ୍ରକାଶ କରିଛନ୍ତି । ଏସମ୍ପର୍କରେ ବିଧାୟକ ଶ୍ରୀ ସାହୁ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତା ଛାଡି କୁନି ଝିଅର ଚିକିତ୍ସା ନିମନ୍ତ୍ର ସହାୟତା ହାତ ବଡାଇବା ଲାଗି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବିଧାୟକ ଶ୍ରୀ ସାହୁଙ୍କ ଏଭଳି ମାନବିକତା ଓ ସହଯୋଗ ପାଇଁ ଅଂଚଳବାସୀ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ପ୍ରଶଂସା କରିଛନ୍ତି ।




