ଯାଜପୁର,୩୦।୦୯ (ଯାଜପୁର ଟୁଡେ) : ସେବା ସଂକଳ୍ପ ଏବଂ ପୋଷଣ ମାସ ପାଳନର ଅଂଶ ଭାବେ ଯାଜପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସେପ୍ଟେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ଉତ୍ସାହ ଓ ବ୍ୟାପକ ଜନସହଭାଗିତାର ସହ ପାଳିତ ହୋଇଛି। ଶିଶୁ, ମା’, ବାପା, କିଶୋରୀ, ପରିବାର ସଦସ୍ୟ ଓ ସମୁଦାୟକୁ ଅଙ୍ଗନବାଡି ସହ ଯୋଡ଼ିବା ଏବଂ ପୋଷଣ ଓ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସେପ୍ଟେମ୍ବର ୨୭ରେ ବିଭିନ୍ନ କେନ୍ଦ୍ରରେ ରେସିପି ପ୍ରଦର୍ଶନୀ, ପୋଷଣ ପିଠା ପ୍ରସ୍ତୁତି ଓ ବାପାମାନଙ୍କ ପାଇଁ ସ୍ଥାନୀୟ ଖାଦ୍ୟ ସାମଗ୍ରୀରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତିକୁ ନେଇ ରେସିପି ପ୍ରତିଯୋଗିତା ହୋଇଥିଲା। ସେପ୍ଟେମ୍ବର ୨୮ରେ ଶିଶୁମାନଙ୍କ ପାଇଁ ଖେଳକୁଦ, ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ କାହାଣୀ କଥନ ଆୟୋଜିତ ହୋଇଥିଲା। ଜେଜେବାପା ଓ ଜେଜେମା’ଙ୍କ ଦ୍ୱାରା କାହାଣୀ କଥନ ସହ ‘ଆମ କୁନିପିଲା’, ‘ମୋ ବିକାଶ ପତ୍ର’ ଓ ‘ସୁଖଦା ଲାଳନପାଳନ’ ଭଳି ଶିକ୍ଷଣୀୟ ସାମଗ୍ରୀର ପ୍ରଦର୍ଶନ ଓ ବ୍ୟବହାର କରାଯାଇଥିଲା। ଶିଶୁମାନଙ୍କୁ ପ୍ୟାକେଟ୍ ଲସି, ବିଭିନ୍ନ ସ୍ଥାନୀୟ ଫଳ ଓ ମିଲେଟ୍ କୁକିଜ୍ ପ୍ରଦାନ କରାଯାଇଥିଲା।ସେପ୍ଟେମ୍ବର ୨୯ ତାରିଖରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା, ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ସମ୍ମାନ ଓ ରେସିପି ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ସହ ‘ତ୍ରିରଙ୍ଗା ଥାଳି’ ପ୍ରଦର୍ଶନ କରାଯାଇଥିଲା। ଭାତ, ଡାଲମା, ଅଣ୍ଡା ତରକାରୀ, ଶାଗ, ଖଟା ଓ ବିଭିନ୍ନ ସାଲାଡ୍ ସମେତ ପୁଷ୍ଟିକର ଖାଦ୍ୟ ମାଧ୍ୟମରେ ସନ୍ତୁଳିତ ଆହାରର ବାର୍ତ୍ତା ଦିଆଯାଇଥିଲା।‘ଆଙ୍ଗନ କା ଉତ୍ସବ’ରେ ଜନପ୍ରତିନିଧି ଓ ଅଧିକାରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ରହିଥିଲା। ଯାଜପୁରର ମାନ୍ୟବର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କମାଗଡ଼-୧ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ରେସିପି ପ୍ରତିଯୋଗିତାର ବିଜେତାଙ୍କୁ ପ୍ରମାଣପତ୍ର ଓ ଫଳ ଝୁଡ଼ି ପ୍ରଦାନ କରିଥିଲେ। ସେ ପୋଷଣ, ସ୍ୱାସ୍ଥ୍ୟକର ଖାଦ୍ୟ ଓ ପରିବାରର ସୁସ୍ଥତା ସମ୍ପର୍କରେ ସମୁଦାୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଯାଜପୁର ଉପଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସେକ୍ଟର ସୁପରଭାଇଜର, ଆଶା କର୍ମୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ।ବିଭିନ୍ନ କେନ୍ଦ୍ରରେ ବିଜେତାଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ସହ ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସହାୟିକା ଓ ଆଶା କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସମଗ୍ର ଜିଲ୍ଲାରେ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ ପୋଷଣ ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ସୁସ୍ଥ ପରିବାର, ସଚେତନ ସମୁଦାୟ ଓ ପୋଷଣସମ୍ପନ୍ନ ଶିଶୁ ଗଠନ ଦିଗରେ ଏକ ସାମୂହିକ ପ୍ରୟାସର ରୂପ ନେଇଛି।




