ଯାଜପୁର,୧୧/୯ (ଯାଜପୁର ଟୁଡେ) : ସ୍ଵାମୀଙ୍କୁ ହତ୍ୟା କରି ସବୁଦିନ ପାଇଁ ଜେଲ ଚାରି କାନ୍ଥରେ ସ୍ତ୍ରୀ। ସ୍ତ୍ରୀ ହୋଇ ଗଲା ଆଜୀବନ ଜେଲ । ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ମଙ୍ଗଳପୁର ଥାନା ପ୍ରଗତିବିହାର ଅଂଚଳରେ ଭଡା ଘରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲେ ମୃତ ଅଟଳ କୁଅଁରଙ୍କ ଅଭିଯୁକ୍ତ ପତ୍ନୀ ମମତା କୁଅଁର । ମମତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୨୦୨୧ ମସିହା ମଙ୍ଗଳପୁର ଥାନା ଇସମାଇଲପୁର ଅଞ୍ଚଳର ଅଟଳ କୁଅଁର ଓରଫ ସୁବାଶ ସପରିବାର ମଙ୍ଗଳପୁର ବଜାର ପ୍ରଗତିବିହାର ଅଂଚଳରେ ଏକ ଭଡା ଘରେ ରହୁଥିଲେ। କୌଣସି ଏକ ପାରିବାରିକ କାରଣ ରୁ ଅଭିଯୁକ୍ତ ପତ୍ନୀ ମମତା ସ୍ୱାମୀ ସୁବାସ ଶୋଇଥିବା ସମୟରେ ତକିଆ ଓ ଚାର୍ଜର କର୍ଡ ରେ ଗଳାଚାପି ହତ୍ୟା କରିଥିଲା । ଏ ନେଇ ମୃତକଙ୍କ ଭାଇ ରଞ୍ଜନ କୁମାର କୁଅଁର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ପତ୍ନୀ ମମତାଙ୍କ ସହ ଅଜୟ ସାମଲ, କୃଷ୍ଣ ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ । ୧୫ ଜଣ ସାକ୍ଷ ପ୍ରମାଣ ଓ ୩୬ ଗୋଟି ଦସ୍ତାବିଜକୁ ଆଧାର କରି ପତ୍ନୀ ମମତାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି । ଏଥି ସହିତ ଅନାଦେୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିଶେଶ୍ୱର ବିଶ୍ଵ ପ୍ରକାଶ ରାୟ। ଏଥିସହ ପ୍ରମାଣ ଅଭାବରୁ ଏହି ଘଟଣାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଅଜୟ ସାମଲ ଓ କୃଷ୍ଣ ସେଠୀଙ୍କୁ ସସମ୍ମାନରେ ନିର୍ଦୋଷରେ ଖଲାସ କଲେ ମାନ୍ୟବର ଅଦାଲତ। ଏହି ମାମଲାକୁ ସରକାରୀ ଓକିଲ କୁଳମଣି ନାୟକ ଓ ଅତିରିକ୍ତ ସରକାରୀ ଓକିଲ ବିପ୍ଳବ କୁମାର ମୁଦୁଲି ପରିଚାଳନା କରିଥିଲେ ।
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ପ୍ରଗତିବିହାର ଅଞ୍ଚଳର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣା : ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ମାନ୍ୟବର କୋର୍ଟ
By jajpurtoday
ଅପରାଧ





